ଗାଁରେ ମିଳିବ ସହରୀ ସୁବିଧା

ଏଣିକି ଗାଁରେ ମିଳିବ ସହରୀ ସୁବିଧା । ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଏହି ନୀତି ଜରିଆରେ ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଯିବା ହେଉଛି ଏହି ନୀତିର ମୂଳ ଲକ୍ଷ୍ୟ । ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ । ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ ।

SHARE BY