ଓଡ଼ିଶାକୁ ସମୃଦ୍ଧ କରିବ ଶିଳ୍ପ ଉଦ୍ୟୋଗ। ମୟୂରଭଞ୍ଜରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାରେ ଖୁବ୍ଶୀଘ୍ର ୧୦ଟି ବଡ଼ ଶିଳ୍ପ କାର୍ଯ୍ୟକ୍ଷମ ହେବ। ସେହିପରି ବୃହତ୍ ଶିଳ୍ପ ସହ ଲୋକଙ୍କ କୌଳିକ ବୃତ୍ତିକୁ ବି ଗ୍ରାମୀଣ ଉଦ୍ୟୋଗରେ ପରିଣତ କରାଯିବ। ଅନୁସୂଚିତ ଜାତି ଓ ଜନଜାତିର ଲୋକେ ପାରମ୍ପରିକ ଜୀବିକା ସହିତ ଉଦ୍ୟୋଗର ମିଶ୍ରଣ କରି ସ୍ବାବଲମ୍ବୀ ହୋଇପାରିବେ ବୋଲି ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପିଏମ୍ ବିଶ୍ୱକର୍ମା ଓ ଏସ୍ସିଏସ୍ଟି ହବ୍ କନ୍କ୍ଲେଭ୍ରେ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅତିଥି ଭାବେ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାଂଝୀ ଯୋଗଦେଇ କହିଲେ; ଅନୁସୂଚିତ ଜାତି ଜନଜାତି ଉଦ୍ୟୋଗୀଙ୍କ ଦକ୍ଷତା ବୃଦ୍ଧି ତଥା ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। ମନ୍ତ୍ରିମଣ୍ଡଳ ଶପଥଗ୍ରହଣ ବେଳେ ଏହି ମନ୍ତ୍ରାଳୟ ମିଳିଥିବାରୁ ମୁଁ ମନଊଣା କରିଥିଲି। ହେଲେ ପରେ ଏହି ବିଭାଗର କାର୍ଯ୍ୟ ତଥା ଯୋଜନା ବାବଦରେ ଜାଣିବା ଓ ଏହାକୁ ଆଗକୁ ନେବାରେ ଯେଉଁ ଆତ୍ମସନ୍ତୋଷ ମିଳିଛି, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୬.୨୫ କୋଟିରୁ ଅଧିକ ଉଦ୍ୟୋଗ ରହିଛି ଯେଉଁଥିରେ ୨୬.୭ କୋଟିରୁ ଅଧିକ ଲୋକ ନିୟୋଜିତ ଅଛନ୍ତି। ଦେଶର ଜିଡିପିରେ ଏହାର ଅବଦାନ ୩୦%ରୁ ଅଧିକ। ତେଣୁ ଏବେ ଓଡ଼ିଶାରେ ବି ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଆମେ କାର୍ଯ୍ୟ କରିଛୁ ବୋଲି ଶ୍ରୀ ମାଂଝୀ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ତଥା ଏମ୍ଏସ୍ଏମ୍ଇ ବିଭାଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗର ସଚିବମାନେ ମଧ୍ୟ ଏହି କନ୍କ୍ଲେଭ୍ରେ ଯୋଗ ଦେଇଥିଲେ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍