The Topmost

“The eyes believe themselves, the ears believe other people.”

କେବଳ ରକ୍ଷା ବନ୍ଧନ ଦିନ ହିଁ ଖୋଲିଥାଏ ଏହି ମନ୍ଦିର

ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ, ଏହା ଏକ ବଡ଼ ପର୍ବ ଅଟେ । ସମଗ୍ର ଦେଶରେ ଏହି ପର୍ବ ଧୂମ ଧାମରେ ପାଳନ କରାଯାଏ । ଭାଇ ଭଉଣୀକୁ ସେନେହ ବନ୍ଧନରେ ବାନ୍ଧି ରଖିବାରେ ରାକ୍ଷୀର ମହତ୍ୱ ଅନେକ ରହିଛି । ତେବେ ଆସନ୍ତା ଅଗଷ୍ଟ 31 ତାରିଖରେ ରକ୍ଷାବନ୍ଧନ ପଡୁଛି । ଏହି ପର୍ବକୁ ନେଇ ଅନେକ ପରମ୍ପରା ଓ ଇତିହାସ ମଧ୍ୟ ରହିଛି । ଆସନ୍ତୁ ଜାଣିବା ସେହିଭଳି କିଛି କାହାଣୀ ଭିତରୁ ଏକ କାହାଣୀ । ରାକ୍ଷୀରେ ଭାଇଙ୍କ ବ୍ୟତୀତ ଭଉଣୀମାନେ କୃଷ୍ଣଙ୍କୁ ମଧ୍ୟ ରାକ୍ଷୀ ବାନ୍ଧନ୍ତି । କୁହାଯାଏ ଯେ ସର୍ବପ୍ରଥମେ ଦେବୀ ଲକ୍ଷ୍ମୀ ରାକ୍ଷୀ ବାନ୍ଧି ବାଲିଙ୍କୁ ତାଙ୍କ ଭାଇ କରିଥିଲେ । ତେବେ ଆପଣ ନିଶ୍ଚିତ ଭାବେ ରକ୍ଷାବନ୍ଧନର ଅନେକ କାହାଣୀ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶ ଭାରତରେ ଏପରି ଏକ ମନ୍ଦିର ଅଛି । ଯାହା କେବଳ ରକ୍ଷାବନ୍ଧନ ଦିନ ହିଁ ଖୋଲିଥାଏ । ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ବିଶେଷ ତଥ୍ୟ ।

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବଂଶିନାରାୟଣ ମନ୍ଦିର ଉପସ୍ଥିତ । ଯେଉଁଠାରେ ଲୋକମାନଙ୍କୁ ପାହାଡ ଉପରକୁ ଚାଲିକି ଯିବାକୁ ପଡିଥାଏ । ଏହି ମନ୍ଦିରର କବାଟ ବର୍ଷକୁ ଥରେ ମାତ୍ର ଖୋଲିଥାଏ । ବଂଶିନାରାୟଣ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇଛି । ଉତ୍ତରପ୍ରଦେଶର ଏକମାତ୍ର ସ୍ଥାନ ଯେଉଁଠାରେ ଭକ୍ତମାନେ କେବଳ ରକ୍ଷାବନ୍ଧନ ଦିନ ଭଗବାନ ବିଷ୍ଣୁଙ୍କୁ ଏହି ମନ୍ଦିରରେ ଦର୍ଶନ କରିପାରିବେ । ମନ୍ଦିରର କବାଟ ସୂର୍ଯୋଦୟ ସହିତ ଖୋଲାଯାଏ ଏବଂ ସୂର୍ଯ୍ୟାସ୍ତ ପରେ ଏହା ବର୍ଷ ସାରା ପାଇଁ ବନ୍ଦ ହୋଇଯାଏ ।

ବଂଶିନାରାୟଣ ମନ୍ଦିରର ଗୌରବ ଅତୁଳନୀୟ ହୋଇଥିବାବେଳେ ମନ୍ଦିର ସହିତ ଜଡିତ ଏକ ପ୍ରାଚୀନ କାହାଣୀ ମଧ୍ୟ ରହିଛି । ଯେତେବେଳେ ଭଗବାନ ବିଷ୍ଣୁ ନିଜ ବାମନ ଅବତାରରୁ ମୁକ୍ତ ହୋଇଥିଲେ ସେତେବେଳେ ସେ ପ୍ରଥମେ ଏଠାରେ ପ୍ରକଟ ହୋଇଥିଲେ । ଏହାପରେ ଦେବ ଋଷି ନାରଦ ପ୍ରଥମେ ଭଗବାନ ନାରାୟଣଙ୍କୁ ପୂଜା କରିଥିଲେ । ଏହି କାରଣରୁ ଏଠାରେ ଥିବା ଲୋକମାନେ କେବଳ ଗୋଟିଏ ଦିନ ହିଁ ପୂଜା କରିବାର ଅଧିକାର ପାଇଛନ୍ତି । ରୀତିନୀତି ଅନୁସାରେ, ଏଠାରେ ଥିବା ମହିଳା ଓ ଝିଅମାନେ ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଗବାନଙ୍କୁ ପୂଜା କରିଥାନ୍ତି । ଯାହାଫଳରେ ସେମାନେ କୌଣସି ସଙ୍କଟର ସମ୍ମୁଖୀନ ହୁଅନ୍ତି ନାହିଁ । ଏବଂ ସେମାନଙ୍କୁ ସୁଃଖ, ଧନ ଏବଂ ସଫଳତା ପ୍ରାପ୍ତ ହୋଇଥାଏ ।