ଓଡ଼ିଶାରେ ସମାଜବାଦୀ ପାର୍ଟି (ଏସପି) ନିଜର ସଦସ୍ୟତା ଅଭିଯାନ ଆରମ୍ଭ କରିବ। ଜିଲ୍ଲା ସଂଗଠନକୁ ସୁଦୃଢ଼ କରାଯିବ। ଆଗକୁ ରାଜ୍ୟ ପ୍ରଭାରୀ ନିଯୁକ୍ତ କରାଯିବ। ଓଡ଼ିଶାର ଅନ୍ୟ ଦଳର ଯେଉଁମାନେ ସମାଜବାଦୀ ପାର୍ଟିରେ ସାମିଲ ହେବାକୁ ଚାହିଁବେ ସେମାନଙ୍କୁ ସ୍ବାଗତ କରାଯିବ ବୋଲି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ।
ଆଜି ଭୁବନେଶ୍ବରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ କହିଲେ, ସମ୍ବିଧାନ ପ୍ରଣେତା ବିଆର ଆମ୍ବେଦକରଙ୍କ ବିଚାରଧାରାକୁ ନେଇ ଦଳ ଆଗକୁ ବଢ଼ୁଛି। ଉତ୍ତରପ୍ରଦେଶରେ ଦଳ ପିଡିଏ(ପଛୁଆ ବର୍ଗ, ଦଳିତ ଓ ଆଦିବାସୀ) ନାରା ଦେଇଥିଲା। ଯାହାଫଳରେ ଗୋଟିଏ ଛାତ ତଳେ ଏହି ବର୍ଗର ସମସ୍ତେ ନିଜ ହକ୍ ପାଇଁ ଲଢ଼େଇ କରିପାରିବେ। ଯେଉଁ ରାଜ୍ୟରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିବ, ଉତ୍ତରପ୍ରଦେଶରେ ଦଳର କ୍ଷମତାରେ ଥିବା ସମୟରେ ଯେଉଁ ଭଲ ଯୋଜନା କାର୍ଯ୍ୟକାରୀ ହୋଇଥିଲା ତାହାକୁ ଲାଗୁ କରାଯିବ।
କଟାକ୍ଷ କରି ସେ କହିଥିଲେ ଯେ ବିଜେପି କେବଳ ଲୋକଙ୍କଠାରୁ ଛଡ଼େଇ ନେବା ଶିଖିଛି। ପୂର୍ବରୁ ବିମୁଦ୍ରୀକରଣ, ଜିଏସ୍ଟି, ଚାଷୀଙ୍କଠାରୁ ଜମି ନେବା ପାଇଁ କଳା ଆଇନ ଓ ଏବେ ୱକ୍ଫ ବିଲ୍ ଜରିଆରେ ଜମି ହଡ଼ପ ଅଭିଯାନ ଆରମ୍ଭ କରିଛି। ଉତ୍ତରପ୍ରଦେଶରେ ଡବଲ ଇଞ୍ଜିନ୍ ଧକ୍କା ହୋଇ ଗୋଟିଏ ରେଳ ଧାରଣାରେ ଚାଲୁଛି। ଦିଲ୍ଲୀରେ ବସିଥିବା ଲୋକ ଅଧାରୁ ଅଧା କାମ କରୁଥିବା ବେଳେ ଉତ୍ତରପ୍ରଦେଶକୁ ବଳକା କାମ ମିଳୁଛି। ଓଡ଼ିଶାରେ ମଧ୍ୟ କିଛି ଭିନ୍ନ ହେଉଥିବ ବୋଲି ଆଶା ନାହିଁ। ଓଡ଼ିଶାର ଡବଲ ଇଞ୍ଜିନ ସରକାରକୁ କିଏ ଚଳାଉଛି ତାହା କେହି ଜାଣି ନାହାନ୍ତି। ହୋଇପାରେ ଜଣେ ବ୍ୟକ୍ତି ହିଁ ସବୁକିଛି ନିଷ୍ପତ୍ତି ନେଉଥାଇପାରେ ବୋଲି ଶ୍ରୀ ଯାଦବ କଟାକ୍ଷ କରିଛନ୍ତି। ବିଜେପି କେବଳ କ୍ଷମତାକୁ ଆସିବା ଲାଗି ହିନ୍ଦୁଙ୍କ କଥା କହୁଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ପର୍ଯ୍ୟନ୍ତ ଜଗନ୍ନାଥଙ୍କ ଦର୍ଶନ କରିନାହାନ୍ତି। ଓଡ଼ିଶାରେ ମୋର ଏହି ବକ୍ତବ୍ୟ ଶୁଣିବା ପରେ ହୁଏତ ସେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିପାରନ୍ତି। ଡବଲ ଇଞ୍ଜିନ ସରକାରରେ ଡବଲ ଦରଦାମ ବୃଦ୍ଧି ଓ ବେରୋଜଗାର ବଢ଼ିଛି ବୋଲି ଶ୍ରୀ ଯାଦବ କହିଥିଲେ। ଏହି ଅବସରରେ ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ଦାସ ବିଜେଡି ଛାଡ଼ି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
More Stories
ଅଡୁଆରେ ସୁଲତା
କଣ ଏହି ୱାକଫ୍, କାହିଁକି ଧରିଛି ଚର୍ଚ୍ଚା
ଭିତରେ ଘମାଘୋଟ ଲଢେଇ ବାହାରେ ରଫା ଦଫା