ଓଡିଶାରେ ହେବ ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’

ରାଜ୍ୟ କ୍ରୀଡ଼ା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଫ୍ରାଞ୍ଚାଇଜଭିତ୍ତିରେ ଖେଳାଯାଉଥିବା ଖୋ ଖୋ ପ୍ରତିଯୋଗିତା ‘ଅଲ୍‌‌ଟିମେଟ୍‌‌ ଖୋ ଖୋ’ (ୟୁକେକେ)ର ଆଗାମୀ ଦ୍ୱିତୀୟ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେବ। ପ୍ରଥମ ସଂସ୍କରଣର ସଫଳତା ପରେ ଅଲ୍ଟିମେଟ୍‌‌ ଖୋ ଖୋ ଏହାର ବିଶାଳ ୨ୟ ସଂସ୍କରଣ ପାଇଁ ଜୋର୍‌‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଡିସେମ୍ବର ୨୪ରୁ ଓଡ଼ିଶାରେ ଆରମ୍ଭ ହେବ ଅଲ୍ଟିମେଟ ଖୋ ଖୋ’ ଦ୍ୱିତୀୟ ସଂସ୍କରଣ। କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଜାନୁଆରୀ ୧୩ରେ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ଏ ସମ୍ପର୍କରେ ଓଡ଼ିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ‘ଆମେ ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌‌ ଉତ୍ସାହିତ ରହିଛୁ। ଏହା ଆମ ସମସ୍ତଙ୍କ ପାଇଁ ଏକ ଉତ୍ସାହଜନକ ସୁଯୋଗ। ଓଡ଼ିଶାର ଯୁବପିଢି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଦ୍ୱିତୀୟ ସଂସ୍କରଣର ଆୟୋଜନ କରି ରାଜ୍ୟବାସୀଙ୍କୁ ଏହି ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ସହ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ଚଳିତ ସଂସ୍କରଣକୁ ଏକ ବିଶାଳ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ରହିଛୁ।’ କ୍ରୀଡ଼ାମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି।

SHARE BY