The Topmost

“The eyes believe themselves, the ears believe other people.”

ଓଡିଶାରେ ବଦଳିବ ଖେଳାଳିଙ୍କ ଭାଗ୍ୟ, 30 ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର

କେନ୍ଦ୍ର ଓ ଓଡ଼ିଶା କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ରବିବାର ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରେ ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟରେ ତୃଣମୂଳସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ହେବା ସହିତ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ଯେପରି କ୍ରୀଡ଼ା ପ୍ରତିଭା ବିକଶିତ ହୋଇପାରିବ ସେ ଲକ୍ଷ୍ୟ ନେଇ ଖେଲୋ ଇଣ୍ଡିଆ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଖେଲୋ ଇଣ୍ଡିଆ ସେଣ୍ଟର୍‌ଗୁଡ଼ିକରେ କ୍ରୀଡ଼ାବିତଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଭିନ୍ନ କ୍ରୀଡ଼ା ଯଥା ଫୁଟବଲ୍‌, ଭଲିବଲ୍, ହକି, ଦୌଡ଼କୁଦ, ଖୋ ଖୋ, କବାଡ଼ି ଆଦି ନିମନ୍ତେ ଦୃଢ଼ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ଖେଳାଳିଙ୍କୁ ପ୍ରଦାନ କରାଯିବ। ଏଥିସହିତ ଏହି ଖେଲୋ ଇଣ୍ଡିଆ ସେଣ୍ଟର୍‌ଗୁଡ଼ିକର ଉପଯୁକ୍ତ ପରିଚାଳନା ନିମନ୍ତେ ସରକାରଙ୍କ ତରଫରୁ ବାର୍ଷିକ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ମଧ୍ୟ ଦିଆଯିବ। ଜିଲ୍ଲାଗୁଡ଼ିକରେ ସ୍ଥାପିତ ହୋଇଥିବା ଏହି ଖେଲୋ ଇଣ୍ଡିଆ ସେଣ୍ଟର୍‌ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ କ୍ରୀଡ଼ାକୁ ମଧ୍ୟ ପ୍ରଧାନ୍ୟ ଦେବ। ପୂର୍ବରୁ ଜାତୀୟ ଓ ରାଜ୍ୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କ୍ରୀଡ଼ାବିତ୍‌ ହିଁ ଖେଲୋ ଇଣ୍ଡିଆ ସେଣ୍ଟର୍‌ରେ ପ୍ରଶିକ୍ଷକ ରହିବେ।

ତୃଣମୂଳସ୍ତରରେ କ୍ରୀଡ଼ା ପ୍ରତିଭାର ବିକାଶ ହେବ: କ୍ରୀଡ଼ାମନ୍ତ୍ରୀ

ଏଥିସହିତ ଅଧିକରୁ ଅଧିକ କ୍ରୀଡ଼ାବିତ୍‌ ଯେପରି ଖେଲୋ ଇଣ୍ଡିଆ ସେଣ୍ଟର୍‌ରେ ଅନ୍ତର୍ଭୁକ୍ତ ହେବେ ତାହାକୁ ମଧ୍ୟ ସୁନିଶ୍ଚିତ କରାଯିବ। କେବଳ ପ୍ରମୁଖ ସହର ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ କ୍ରୀଡ଼ା ପ୍ରତିଭାର ଯେପରି ବିକାଶ ହୋଇପାରିବ ସେହି ଲକ୍ଷ୍ୟରେ ଖେଲୋ ଇଣ୍ଡିଆ ସେଣ୍ଟର୍‌ର ନିର୍ମାଣ କରାଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ରବିବାର କଳିଙ୍ଗ ଷ୍ଟାଡିୟମ୍‌ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଖେଲୋ ଇଣ୍ଡିଆ ସେଣ୍ଟର୍‌ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଖେଲୋ ଇଣ୍ଡିଆ ସେଣ୍ଟର ସ୍ଥାପନାର ଲକ୍ଷ୍ୟ ଏବଂ କାର୍ଯ୍ୟକାରିତା ସମ୍ବନ୍ଧରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଜିଲ୍ଲା ପ୍ରଶାସନର ଅଧିକାରୀ, କ୍ରୀଡ଼ାବିତ୍‌ ଏବଂ ପ୍ରଶିକ୍ଷକମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ କ୍ରୀଡ଼ାରେ ବିକାଶର ଲକ୍ଷ୍ୟକୁ ନେଇ ଜିଲ୍ଲାସ୍ତରରେ ଉଦ୍‌ଘାଟିତ ହୋଇଥିବା ଖେଲୋ ଇଣ୍ଡିଆ ସେଣ୍ଟର୍‌ ନିମନ୍ତେ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମନ୍ତ୍ରୀ ଶ୍ରୀ ସୂରଜ ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର କ୍ରୀଡ଼ାବିତ ଏବଂ ପ୍ରଶିକ୍ଷକଙ୍କ ସହିତ ଓଡ଼ିଶାରେ କ୍ରୀଡ଼ାକ୍ଷେତ୍ରର ଯେପରି ସାମଗ୍ରିକ ବିକାଶ ହୋଇପାରିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏଥିସହିତ କ୍ରୀଡ଼ାବିତଙ୍କୁ  କ୍ରୀଡ଼ାଜଗତରେ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିପାରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଓଡ଼ିଶାର ୩୦ଟି ଜିଲ୍ଲାରେ ଖେଲୋ ଇଣ୍ଡିଆ ସେଣ୍ଟରର ଉଦଘାଟନ ହେବା, ଆଗାମୀ ଦିନରେ ଓଡ଼ିଶାର ସମସ୍ତ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମର ନିର୍ମାଣ ହେବା ଏବଂ ତୃଣମୂଳ ସ୍ତରରେ ସିଏମ-ଫୁଟବଲ ଟ୍ରଫି ପ୍ରତିଯୋଗିତାର ଆୟୋଜନ କରାଯିବା ଆଦି ପଦକ୍ଷେପ ମାଧ୍ୟମରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାପ୍ରତିଭାର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

SHARE BY