The Topmost

“The eyes believe themselves, the ears believe other people.”

ଏମସ୍ ରେ କେନ୍ଦ୍ରୀୟ ଗବେଷଣା ପ୍ରୟୋଗଶାଳା ଉଦଘାଟନ କଲେ ନଡ୍ଡା

ଏମ୍‌ସ ଭୁବନେଶ୍ବର ରାଜ୍ୟ ତଥା ରାଜ୍ୟ ବାହାର ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ କରୁଛି। ଏହାକୁ ଆହୁରି ଆଗକୁ ନେବା ସହିତ ଦେଶରେ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। ଶ୍ରୀ ନଡ୍ଡା କହିଛନ୍ତି, ଏମ୍‌ସ ଭୁବନେଶ୍ୱରରେ ପୂର୍ବ ଭାରତର ପ୍ରଥମ ସରକାରୀ ପରିଚାଳିତ ସ୍କିନ୍‌(ଚର୍ମ) ବ୍ୟାଙ୍କ ପ୍ରତିଷ୍ଠା ହେବ। ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ମୃତଦେହରୁ ଚର୍ମ ସଂଗ୍ରହ କରାଯାଇ ପୋଡ଼ାଜଳା ରୋଗୀଙ୍କ ପାଇଁ ଜୀବନରକ୍ଷାକାରୀ ସାବ୍ୟସ୍ତ ହେବ। ଫଳରେ ମୁମ୍ବାଇ ଓ ବେଙ୍ଗାଲୁରୁରେ କେନ୍ଦ୍ର ଉପରେ ବର୍ତ୍ତମାନର ନିର୍ଭରଶୀଳତା ଦୂର ହେବ।

ଏମ୍‌ସ ଭୁବନେଶ୍ବର ପରିସରରେ କେନ୍ଦ୍ରୀୟ ଗବେଷଣା‌ ପ୍ରୟୋଗଶାଳା ଉଦ୍‌ଘାଟନ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଅତ୍ୟାଧୁନିକ ଚିକିତ୍ସା ଗବେଷଣାକୁ ଆଗକୁ ବଢ଼ାଇବା ତଥା ଦେଶର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜଭୁତ କରିବାରେ ଏହି ପ୍ରୟୋଗଶାଳା ସହାୟକ ହେବ। ଏହି ନୂତନ ଗବେଷଣା ସୁବିଧା ବିଶେଷ ଭାବେ ପୂର୍ବାଞ୍ଚଳରେ ବୈଜ୍ଞାନିକ ଆବିଷ୍କାର ଏବଂ ଅନୁବାଦମୂଳକ ଗବେଷଣା ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ବହୁମୁଖୀ ଚିକିତ୍ସା ସୁବିଧା ଥିବା ଗ୍ୟାଷ୍ଟ୍ରୋନୋମି ବ୍ଲକ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ସହ  ଏମ୍‌ସ ଭୁବନେଶ୍ୱରର ଏକ ନୂଆ ୱେବସାଇଟ୍‌କୁ ଉନ୍ମୋଚନ କରିଥିଲେ। ଏହି ପ୍ରକଳ୍ପ ଦ୍ବାରା ଗୋଟିଏ ଛାତ ତଳେ ବହୁ ଅତ୍ୟାବଶ୍ୟକ ସୁବିଧା ମିଳିପାରିବ ବୋଲି ଶ୍ରୀ ନଡ୍ଡା କହିଥିଲେ। ଏହି ଅବସରରେ ଇଏଚ୍‌ଏସ୍‌ କ୍ଲିନିକ୍‌ ଓ ଅମୃତ ଫାର୍ମାସି ଉଦ୍‌ଘାଟିତ ହୋଇଥିଲା। ପରେ କେନ୍ଦ୍ରମନ୍ତ୍ରୀ ଏମ୍‌ସର ବିଭିନ୍ନ ୱାର୍ଡ ବୁଲିବା ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ। ସମୀକ୍ଷା ବୈଠକରେ ଶ୍ରୀ ନଡ୍ଡାଙ୍କ ସହିତ ଏମ୍‌ସ ଭୁବନେଶ୍ୱର ଅଧ୍ୟକ୍ଷ ଡା. ଶୈଳେଶ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ବିଶ୍ୱାସ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଅଙ୍କିତା ବୁନ୍ଦେଲା ମିଶ୍ର, ରାଜ୍ୟ ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ୍‌, ଡିନ୍ ପ୍ରଶାନ୍ତ ରାଘବ ମହାପାତ୍ର,  ସୌଭାଗ୍ୟ କୁମାର ଜେନା, ସତ୍ୟଜିତ ମିଶ୍ର, ପ୍ରାଶାସନିକ ଉପନିର୍ଦ୍ଦେଶକ ଅଭିଜିତ ସରକାର, ମେଡିକାଲ୍ ଅଧୀକ୍ଷକ ଡା. ଦିଲୀପ କୁମାର ପରିଡ଼ା, ବରିଷ୍ଠ ପ୍ରଶାସନିକ ଅଧିକାରୀ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

SHARE BY