August 29, 2025

ଏଥର ନୌସେନାରେ ନାରୀ ଶକ୍ତି

ନୂଆଦିଲ୍ଲୀ: ଭାରତୀୟ ନୌସେନା ପ୍ରଥମ ଥର ପାଇଁ ‘ଅଗ୍ନିପଥ’ ଯୋଜନା ଅଧୀନରେ ମହିଳା ସେଲରଙ୍କୁ ‌‌ନିଯୁକ୍ତି ଦେବ। ନିଯୁକ୍ତି ପାଇବାକୁ ଥିବା ମହିଳା ସେଲର ଭବିଷ୍ୟତରେ ଯୁଦ୍ଧଜାହାଜରେ ମୁତୟନ ହେବା ବାଟ ଫିଟିବ। ୩ ‌ସେନା ତଥା ଭାରତୀୟ ସ୍ଥଳ ସେନା, ବାୟୁ ସେନା ଏବଂ ନୌ‌ସେନାରେ ପୂର୍ବରୁ ମହିଳା ଅଧିକାରୀ ନିଯୁକ୍ତ ହୋଇଥିଲେ ସୁଦ୍ଧା ଚଳିତ ଥର ପିବିଓଆର ( ପର୍ସୋନେଲ୍‌ ବିଲୋ ଅଫିସର୍‌ସ ରୢାଙ୍କ୍‌) ମହିଳାଙ୍କ ପାଇଁ ଆରମ୍ଭ ହେବ। ତେବେ ଅଗ୍ନିପଥ ଯୋଜନା ଅଧୀନରେ କେତେ ସଂଖ୍ୟକ ମହିଳା ସେଲର୍‌ ନିଯୁକ୍ତି ପାଇବେ ସେନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନି।

ନୌସେନାରେ ଚଳିତବର୍ଷ ୩୦୦୦ ଅଗ୍ନିବୀର ନିଯୁକ୍ତ ହେବେ। ସେମାନଙ୍କ ମଧ୍ୟରୁ ୧୦ରୁ ୨୦ ପ୍ରତିଶତ ମହିଳା ରହିବେ ବୋଲି ଭାଇସ ଆଡମିରାଲ୍‌ ଦୀନେଶ କେ ତ୍ରିପାଠୀ କହିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ପ୍ରଥମ ବ୍ୟାଚ୍‌ ଅଗ୍ନିବୀରଙ୍କ ପାଇଁ ତାଲିମ ଆରମ୍ଭ ହେବ ବୋଲି ନୌସେନା ପକ୍ଷରୁ କୁହାଯାଇଛି। ମହିଳା ସେଲରଙ୍କ ପ୍ରଥମ ବ୍ୟାଚ ତାଲିମ ନଭେମ୍ବର ୨୧ରୁ ଆଇଏନଏସ ଚିଲିକାରେ ଆରମ୍ଭ ହେବ। ସେମାନଙ୍କ ପାଇଁ ରହିବା ସୁବିଧା ସୁଯୋଗ ଆଇଏନଏସ ଚିଲିକାରେ ସୃଷ୍ଟି କରାଯାଉଛି ବୋଲି ଭାଇସ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି।

SHARE BY