The Topmost

“The eyes believe themselves, the ears believe other people.”

russ-ukraine fight @the_topmost

ଋଷ-ୟୁକ୍ରେନ୍‌ ମହାସମର

ମସ୍କୋ, ରୁଷ-ୟୁକ୍ରେନ ଯୁଦ୍ଧ ୧୩ ଦିନରେ ପହଞ୍ଚିଥିଲା ବେଳେ ରୁଷ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ସମ୍ମୁଖରେ ୩ଟି ସର୍ତ୍ତ ରଖିଛି । ସେଥିରେ କୁହାଯାଇଛି କି ପ୍ରଥମେ ୟୁକ୍ରେନ ତାର ସାମରିକ କାର୍ଯ୍ୟକଳାପ ବନ୍ଦ କରିବା ସହିତ ନିରପେକ୍ଷତା ବଜାୟ ରଖିବା ଲାଗି ସମ୍ବିଧାନରେ ପରିବର୍ତ୍ତନ କରୁ । ଯାହାଫଳରେ ୟୁକ୍ରେନ ନାଟୋ କିମ୍ବା ଅନ୍ୟ କୌଣସି ସଙ୍ଗଠନରେ ସାମିଲ ହୋଇପାରିବ ନାହିଁ । ଦ୍ୱିତୀୟରେ କ୍ରିମିଆକୁ ରୁଷ ଅଞ୍ଚଳ ଭାବେ ଗ୍ରହଣ କରୁ ଏବଂ ତୃତୀୟରେ ଡୋନସ୍କ ଓ ଲୁହାଂସ୍କକୁ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା ଦେଉ।ଏଥିସହିତ ରୁଷ ସୋମବାର ନିଜ ଆଡୁ ୪ ସହର ପାଇଁ ଯୁଦ୍ଧବିରତି ଘୋଷଣା କରିଛି । ଏହି ସହର ମଧ୍ୟରେ ରହିଛି ରାଜଧାନୀ କିଏଭ୍ ସମେତ ଖାରକିଭ୍, ମାରିଉପଲ ଓ ସୁମି । ମସ୍କୋ ସମୟ ସକାଳ ୧୦ଟା (ଭାରତୀୟ ସମୟ ଦିନ ୧୨ଟା ୩୦)ରୁ ଏହି ଯୁଦ୍ଧବିରତି ଲାଗୁ ହୋଇଛି । ଏହା ୧୧ ଘଣ୍ଟା ଧରି ଜାରି ରହିବ । ଏହି ସମୟରେ ଏସବୁ ସହରରେ ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମାନବୀୟ କରିଡର ପ୍ରତିଷ୍ଠା ହେବ ।ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବ୍ୟକ୍ତିଗତ ଅନୁରୋଧ ରକ୍ଷା କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧବିରତି ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ଏସବୁ କରିଡର କେବଳ ରୁଷ ଓ ବେଲାରୁଷ ସୀମା ପର୍ଯ୍ୟନ୍ତ ପ୍ରତିଷ୍ଠା ହୋଇଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ୟୁକ୍ରେନ କହିଛି । କାରଣ ଏସବୁ ସହରରୁ ବାହାରୁଥିବା ଲୋକମାନେ କେବଳ ରୁଷ ସୀମା କିମ୍ବା ବେଲାରୁଷ ସୀମାକୁ ଯାଇପାରିବେ ।ପୂର୍ବରୁ ଗତ ଶନିବାର ବନ୍ଦର ନଗରୀ ମାରିଉପଲ ଓ ପୂର୍ବାଞ୍ଚଳ ସହର ବୋଲ୍ନବଖାରେ ୬ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷ ଘୋଷଣା କରିଥିଲା । କିନ୍ତୁ ସେହି ଦୁଇ ସହରରେ ଫସିଥିବା ଲୋକମାନେ ଯିବା ଲାଗି ପ୍ରୟାସ କରିବା ସମୟରେ ରୁଷର ସୈନ୍ୟମାନେ ଗୋଳାମାଡ଼ ଆରମ୍ଭ କରିଦେଇଥିଲେ । ଫଳରେ ଯୁଦ୍ଧବିରତି ବିଫଳ ହୋଇଥିଲା । ତେବେ ଏହି ବିଫଳତା ପାଇଁ ଉଭୟ ରୁଷ ଓ ୟୁକ୍ରେନ ପରସ୍ପରକୁ ଦୋଷାରୋପ କରିଥିଲେ । ଏହା ପୂର୍ବରୁ ଆଜି ସକାଳେ ରୁଷ ସେନା ମାରିଉପଲ, ଚର୍ନିହିବ, ମିକୋଲେଭ, ଖାରକିଭ୍ ଓ ଇରପିନ୍ରେ ବୋମାମାଡ଼ କରିଥିଲା । ଏସବୁ ଅଞ୍ଚଳରେ ବହୁ ଅଟ୍ଟାଳିକା, ବ୍ରିଜ, ସ୍କୁଲ ଓ ହସ୍ପିଟାଲ ଧ୍ୱଂସ ପାଇଯାଇଛି । ଅନ୍ୟପକ୍ଷରେ ରୁଷ ସୈନ୍ୟମାନେ କେବଳ ଖେରସନ ସହର ଦଖଲ କରିବା ସହ ଜାପୋରିଜଝିଆ ଆଣବିକ ପ୍ଲାଣ୍ଟକୁ ନିଜ କବ୍ଜାକୁ ନେଇଛନ୍ତି । ଏହାଛଡ଼ା ସେମାନେ ଅନ୍ୟ କୌଣସି ସହରକୁ ଏପର୍ଯ୍ୟନ୍ତ କବ୍ଜା କରିପାରି ନାହାନ୍ତି । ରୁଷ ପକ୍ଷରୁ ଗତକାଲି କିଏଭ୍ ନିକଟ ମାକାରିଭ୍ରେ ଏୟାର ଷ୍ଟ୍ରାଇକ୍ କରାଯାଇଛି ।ଏକ ବ୍ରେଡ୍ ପ୍ରସ୍ତୁତ କାରଖାନାରେ ବୋମାମାଡ଼ ଯୋଗୁ ୧୩ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।ସେପଟେ ୟୁକ୍ରେନ ସୈନ୍ୟବାହିନୀ ଦାବି କରିଛି କି ଗତ ରାତିରେ ଖେରସନ ନିକଟ ଚୋର୍ଣ୍ଣୋବୈକା ବିମାନବନ୍ଦର ଅଭିମୁଖେ ଉଡ଼ାଣ କରୁଥିବା ରୁଷର ୩୦ଟି ହେଲିକପ୍ଟରକୁ ସେମାନେ ଖସାଇ ଦେଇଛନ୍ତି । ଏଥିସହିତ ଖାରକିଭ୍ ନିକଟ ଚୁହୁଇଭ୍ ସହରକୁ ପୁଣିଥରେ ନିଜ ଦଖଲକୁ ନେଇଛନ୍ତି । ଏଠାରେ ଚାଲିଥିବା ସଂଘର୍ଷରେ ରୁଷର ଦୁଇଜଣ ସେନା କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଡିମିଟ୍ରି ସାଫ୍ରୋନୋଭ୍ ଓ ଲେଫ୍ଟନାଣ୍ଟ କର୍ଣ୍ଣେଲ ଡେନିସ ଗ୍ଲେବୋଭଙ୍କ ମୃତ୍ୟୁ ଘଟିଛି । ସେହିଭଳି ୟୁକ୍ରେନ ସେନା ଦେଶର ସର୍ବବୃହତ୍ ବନ୍ଦର ଓଡେଶାକୁ ଜଗି ରହିଛନ୍ତି । କୃଷ୍ଣ ସାଗରକୁ ଆସିଥିବା ରୁଷର ବାସିଲୀ ବୈକୋଭ୍ ନାମକ ଏକ ଜାହାଜକୁ ସେମାନେ ଗୁଳିମାଡ଼ କରିଥିଲେ । ଫଳରେ ଜାହାଜଟି କ୍ଷତିଗ୍ରସ୍ତ ହୋଇଛି ।ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ଭାରତୀୟ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଉପରେ ସେ ଜୋର ଦେଇଛନ୍ତି । ୱାର ଜୋନ୍ରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ସହଯୋଗ ଲାଗି ସେ କହିଛନ୍ତି । ଯୁଦ୍ଧବିରତି ଏବଂ ମାନବୀୟ କରିଡର ପ୍ରସ୍ତୁତି ନିମନ୍ତେ ରୁଷର ପଦକ୍ଷେପକୁ ମୋଦି ପ୍ରଶଂସା କରିଛନ୍ତି । ପୁଟିନଙ୍କ ସହ ମୋଦି ପ୍ରାୟ ୫୦ ମିନିଟ୍ ଧରି କଥା ହୋଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ସିଧାସଳଖ ଭାବେ କଥା ହେବା ପାଇଁ ପୁଟିନଙ୍କୁ ମୋଦି ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ପାଖାପାଖି ୩୫ ମିନିଟ୍ ଧରି ଏହି କଥାବାର୍ତ୍ତା ଚାଲିଥିଲା । ୟୁକ୍ରେନ୍ର ସାମ୍ପ୍ରତିକ ସ୍ଥିତି ନେଇ ଉଭୟ ନେତା ଆଲୋଚନା କରିଥିଲେ । ଏହି ପରିସ୍ଥିତିରେ ରୁଷ ଓ ୟୁକ୍ରେନ୍ ସହ ଭାରତ ସରକାର ଲଗାତାର ଭାବେ ଫୋନ ଯୋଗେ କଥାବାର୍ତ୍ତା ହେଉଥିବା ମୋଦି କହିଥିଲେ । ୟୁକ୍ରେନ୍ରୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ଫେରାଇବାରେ ସହାୟତା କରିଥିବାରୁ ଜେଲେନସ୍କିଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସୁମିରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ନିମନ୍ତେ ହେଉଥିବା ଉଦ୍ୟମରେ ୟୁକ୍ରେନ୍ ସରକାର ଲଗାତର ସହାୟତା କରିବେ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଆଶାବ୍ୟକ୍ତ କରିଛନ୍ତି ।