ଆଜି ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟି ହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି ପଣା ଲାଗି ହେବା ପରେ ରଥ ଉପରେ ହାଣ୍ଡିକୁ ଭଙ୍ଗାଯିବ । ଏଥିପାଇଁ ସ୍ୱତନ୍ତ୍ର ଅଧରହାଣ୍ଡି ପ୍ରସ୍ତୁତ ହୋଇଛି । ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ମୁହଁରେ ତୁଣ୍ଡି ବାନ୍ଧି ପାଣି ଆଣିବେ । ପାଣି ଛଣା ହୋଇ ପିତ୍ତଳ ହଣ୍ଡାରେ ରଖାଯିବା ପରେ ସୁପକାର ବା ସୁଆରମାନେ ପଣା ପ୍ରସ୍ତୁତ କରିବେ । ଛାଚି, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ଏହି ପଣା ପ୍ରସ୍ତୁତ କରାଯିବ। ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନି ରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ । ଅଶରୀରିମାନଙ୍କ ଉଦ୍ଧାର ପାଇଁ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯିବାର ପରମ୍ପରା ରହିଛି । ରଥର ପାର୍ଶ୍ବ ଦେବାଦେବୀଙ୍କ ସମେତ ମହାପ୍ରଭୁଙ୍କ ସହ ଭୋଗ ପାଇବା ପାଇଁ ଚଣ୍ଡୀ, ଚାମୁଣ୍ଡାମାନେ ଘୂରି ବୁଲୁଥିବାରୁ ଅଧରହାଣ୍ଡି ଭଙ୍ଗାଯାଇ ସେମାନଙ୍କୁ ପଣା ଉତ୍ସର୍ଗ କରାଯାଇଥାଏ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି