ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବହୁପ୍ରତିକ୍ଷିତ ଇକୋ ରିଟ୍ରିଟ୍ । ପ୍ରକୃତି କୋଳରେ ଖେଳିବେ ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ କରିବେ ଉପଭୋଗ । ସୁଦୀର୍ଘ ସମୁଦ୍ରର ବାଲୁକା ରାଶିରେ ଅତ୍ୟାଧୁନିକ କ୍ୟାମ୍ପ୍ ସହ ଷ୍ଟାର୍ ହୋଟେଲ ଖାଦ୍ୟର ନେବେ ମଜା । ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେଉଛି । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ । ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏକାସାଙ୍ଗରେ ୪ଟି ସ୍ଥାନର ଇକୋ ରିଟ୍ରିଟକୁ ଉଦଘାଟନ କରିବେ । ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ, ନିର୍ଦ୍ଦେଶକ ଓ ଅଧିକାରୀମାନେ ଉପସ୍ଥିତ ରହିବେ । ସେହିପରି ଦ୍ବିତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୧ ତାରିଖରେ ସୋନାପୁର ଓ ଭିତରକନିକା ଏବଂ ତୃତୀୟ ପର୍ଯ୍ୟାୟ ଅର୍ଥାତ୍ ଡିସେମ୍ବର ୧୫ରୁ କୋଣାର୍କ ଇକୋ ରିଟ୍ରିଟ୍ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ ପାଇଁ ସରକାର ଏହି ଉଦ୍ୟମ କରିଛନ୍ତି । ଏଥିରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯଥା, ବେଳାଭୂମି ଓ ପ୍ରାକୃତିକ ଶୋଭାରାଜିରେ ଭରପୂର ପରିବେଶରେ କଟେଜ୍, ଓ୍ବାଟର ରାଇଡସ୍, ଜେଟ୍ ସ୍କି, ବନାନା ରାଇଡ଼, ବୋଟିଂ ଆଦିରେ ମଧ୍ୟ ଫଟୋ ସୁଟ୍ କରିବାର ସୁଯୋଗ ମିଳିବ। ଏହାସହ ଜଙ୍ଗଲ ସଫାରୀ, ରୋପଓ୍ବେ ରାଇଡ଼କୁ ମଧ୍ୟ ଏଥିପାଇଁ ବ୍ୟବହାର କରିପାରିବେ ପର୍ଯ୍ୟଟକ। ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଗ୍ରହ ସୃଷ୍ଟି ହୋଇଥିବା ବେଳେ ଇକୋ ରିଟ୍ରିଟ୍ ଓ୍ବେବସାଇଟକୁ ଯାଇ ଯେକୌଣସି ବ୍ୟକ୍ତି ବୁକିଂ କରିପାରିବେ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍