The Topmost

“The eyes believe themselves, the ears believe other people.”

ଅନଲାଇନ୍ ଗେମିଂ ଉପରେ ୨୮ ପ୍ରତିଶତ ଜିଏସଟି

ଜିଏସଟି ପରିଷଦର ୫୦ତମ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜିଏସଟି ପରିଷଦ ଅନଲାଇନ ଗେମିଂ, ହର୍ସ ରେସିଂ ଏବଂ କ୍ୟାସିନୋ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ମଞ୍ଜୁରୀ ଦେଇଛି । ଦୀର୍ଘ ଦିନ ହେବ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗକୁ ନେଇ ଚର୍ଚ୍ଚା କରୁଥିଲା । ହେଲେ ଏଥର ପରିଷଦ ଅନଲାଇନ ଗେମିଙ୍ଗ ଉପରେ ୨୮ ପ୍ରତିଶତ ଲଗାଇବା ନେଇ ନିଷ୍ପତ୍ତି କରିଛି । ଏହାସହ ଜିଏସଟି ପରିଷଦ ଅନଲାଇନ ଗେମିଙ୍ଗରେ କିଛି ସଂଶୋଧନ କରିଛି । ତେବେ ପୂର୍ବରୁ ଏହା ଉପରେ ଟ୍ୟାକ୍ସ ଦର ୧୮ ପ୍ରତିଶତ ଥିଲା । ସେହିପରି ସିନେମା ହଲରେ ଖାଦ୍ୟ ଓ ପାନୀୟ ପଦାର୍ଥ ଉପରେ ଲାଗୁଥିବା ବିଲ୍ ଉପରେ ଜିଏସଟି କମ୍ କରିବାକୁ ନେଇ ହୋଇଥିବା ସୁପାରିଶକୁ ମଞ୍ଜୁରୀ ମିଳିଛି । ଏବେ ଏହି ପଦାର୍ଥ ଉପରେ ୧୮ ପ୍ରତିଶତ ବଦଳରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ସମସ୍ତ ନିଷ୍ପତ୍ତିର ସୂଚନା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରେସ କନଫରେନ୍ସ କରି ଦେଇଛନ୍ତି । ଏହା ବ୍ୟତୀତ କ୍ୟାନ୍ସରରେ ପୀଡିତ ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସରକାର । କ୍ୟାନ୍ସରର ଇମ୍ପୋର୍ଟେଡ ଔଷଧ ଉପରେ ଆଇଜିଏସଟି ଏବେ ଆଉ ଲାଗିବ ନାହିଁ । ଅର୍ଥାତ ଔଷଧ ମୂଲ୍ୟରେ ହ୍ରାସ ଆସିବ । ରନ୍ଧା ହୋଇନଥିବା ସ୍ନାକ୍ସ ଉପରେ ଜିଏସଟି ୧୮ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ସେହିପରି ଇମିଟେସନ, ଜରି ସୂତ୍ର ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଏଲଇଡି ସ୍ଲାଗ ଉପରେ ମଧ୍ୟ ଜିଏସଟି ହାର ୫ ପ୍ରତିଶତକୁ ହ୍ରାସ କରାଯାଇଛି ।