The Topmost

“The eyes believe themselves, the ears believe other people.”

ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣାରେ ବର୍ଷିଲେ ଖଡଗେ

ମୌସୁମୀ ଅଧିବେଶନରୁ ଅଧିର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ଘଟଣା । ମାମଲାକୁ ନେଇ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କୌଣସି ଭୁଲ କଥା କହି ନାହାଁନ୍ତି । ତାଙ୍କୁ ଯେଉଁ ଭଳି ଭାବେ ନିଲମ୍ବନ କରାଗଲା ଏହା ଉଚିତ୍ ନୁହେଁ ବୋଲି ମଲ୍ଲିକାର୍ଜୁନ୍ ଖଡଗେ କହିଛନ୍ତି । ଅଧିବେଶନର ଆଜି ଶେଷ ଦିନ ଥିବାବେଳେ ଗତକାଲି ତାଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ନିଜ ବିବୃତି ରଖିବା ସମୟରେ ମଣିପୁର ପ୍ରସଙ୍ଗରେ ଦୀର୍ଘ ସମୟ ଧରି ନ କହୁଥିବାରୁ ବିରୋଧୀ ନେତାମାନେ ସଂସଦରେ ନାରା ବାଜି କରିଥିଲେ । ପ୍ରଧାନମନ୍ତ୍ରୀ ଯେତେବେଳେ କଂଗ୍ରେସ ଦଳର ନିନ୍ଦା କରୁଥିଲେ, ଏହି ସମୟରେ କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ‘ନୀରବ ମୋଦୀ’ ‘ନୀରବ ମୋଦୀ’ର ସ୍ଲୋଗାନ୍ ଦେଇଥିଲେ । ଆଉ ଏହା ଏକ ଆପତିଜନକ ଟିପ୍ପଣୀ କହି ଅଧିର ରଞ୍ଜନଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲେ । ପରେ ଘଟଣାକୁ ନେଇ ଅଧିର ରଞ୍ଜନଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବନ କରାଯାଇଛି । ସେପଟେ କଂଗ୍ରେସ କହିଛି ଅଧିର ରଞ୍ଜନ କୌଣସି ଆପତ୍ତିଜନକ ଟିପ୍ପଣୀ ଦେଇ ନାହାଁନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନୀରବ ରହିବାକୁ କହିଥିଲେ । ତାଙ୍କୁ ନିଲମ୍ବନ କରାଯାଇ ଜାଣିଶୁଣି ବିରୋଧୀଙ୍କ ସ୍ୱରକୁ ଦବାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି ।