ଆସନ୍ତାକାଲି ମାଟି ଓ ଆକାଶର ମିଳନର ପର୍ବ ରଜ । ଏହାପୂର୍ବରୁ ଆଜି ହେଉଛି ସଜବାଜ । ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ସଜବାଜରେ ଲାଗିପଡ଼ିଲେଣି ଝିଅବୋହୂ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକିବ ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସିବେ ଭଉଣୀ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୁଏ ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଥାଏ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂ ମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୪ ଦିନ ସେମାନେ କୌଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା