The Topmost

“The eyes believe themselves, the ears believe other people.”

ମଣିପୁର ପୀଡ଼ିତାଙ୍କ ମାଆଙ୍କ ବଡ଼ ବୟାନ

ପୁରା ଦେଶକୁ ସ୍ତବ୍ଧ କରିଦେଇଛି ମଣିପୁରର ଭାଇରାଲ ଭିଡିଓ ପ୍ରସଙ୍ଗ । ଏହି ଅମାନବୀୟ କାଣ୍ଡର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପହଞ୍ଚିଛି । ସରକାର ଓ ବିରୋଧୀ ଏହି ଘଟଣାକୁ ନିନ୍ଦା କରୁଛନ୍ତି । ଘଟଣାକୁ ନେଇ ପୀଡ଼ିତା ମହିଳା ଓ ତାଙ୍କ ପରିବାର ଭୟରେ ଦିନ କାଟୁଛନ୍ତି । କିନ୍ତୁ ଏହାରି ଭିତରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କ ମାଆ ବଡ଼ ବୟାନ ଦେଇଛନ୍ତି । ମଣିପୁରରେ ଆଜି ଯେଉଁ ହିଂସା ଘଟିଛି, ସେଥିପାଇଁ କେବଳ ରାଜ୍ୟ ସରକାର ଦାୟୀ ବୋଲି ମହିଳା ଜଣକ କହିଛନ୍ତି । ଏହାସହ କିପରି ନିଜ ଆଖି ଆଗରେ ନିଜ ସ୍ୱାମୀ ଓ ପୁଅକୁ ବିଭତ୍ସ ଭାବେ ହତ୍ୟା କରାଗଲା, ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପୀଡ଼ିତାଙ୍କ ମାଆ ଏପରି କଥା କହିଛନ୍ତି । ସେ କହିଛନ୍ତି ଯେ ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରିଦିଆ ଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ । ପୁଣି ନିଜ ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ଆଗକୁ ନିଜର ଏବଂ ନିଜ ପରିବାରର ଭବିଷ୍ୟତ କ’ଣ ହେବ, ତାହା ସେ ଜାଣନ୍ତି ନାହିଁ । କିନ୍ତୁ ଗୋଟିଏ କଥା କହିଛନ୍ତି ଯେ ଏତେ ସବୁ ଘଟିଗଲା ପରେ ସେ ଆଉ ନିଜ ଗାଁକୁ ଫେରିପାରିବେ ନାହିଁ । ଆଜି ମଣିପୁରରେ ଯେଉଁ ହିଂସା ଲାଗିରହିଛି, ସେଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ପୀଡ଼ିତାଙ୍କ ମାଆ କହିଛନ୍ତି ।