The Topmost

“The eyes believe themselves, the ears believe other people.”

ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୁପ କରି ସିସୋଦିଆଙ୍କ ଚିଠି

ପ୍ରଗତି ପାଇଁ ଭାରତ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଆବଶ୍ୟକ କରୁଛି । ପ୍ରଧାନମନ୍ତ୍ରୀଙ୍କୁ ବିଦ୍ରୁପ କରି କିଛି ଏଭଳି ଚିଠି ଲେଖିଛନ୍ତି ମନୀଷ ସିସୋଦିଆ । ଆଜି ଜେଲ୍‌ରୁ ଲେଖିଥିବା ଚିଠିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଳ୍ପଶିକ୍ଷା ଦେଶ ପାଇଁ ବିପଜ୍ଜନକ । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସିସୋଦିଆଙ୍କ ଚିଠିକୁ ଟୁଇଟ୍‌ କରିଛନ୍ତି । ସେ ଚିଠିରେ ଲେଖାଯାଇଛି: ଆଜିର ଯୁବା ଆକାଂକ୍ଷୀ, ସେମାନେ କୃତିତ୍ବ ହାସଲ କରିବାକୁ ଚାହାଁନ୍ତି, ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି । ସେମାନେ ବିଶ୍ବବିଜୟୀ ହେବାକୁ ଚହାଁନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ସେମାନେ ବିସ୍ମୟ ସୃଷ୍ଟି କରିବାକୁ ଚାହାଁନ୍ତି । ଚିଠିରେ ମନୀଷ ଦାବି କରିଛନ୍ତି ଯେ, ଗତ ଅଳ୍ପ କେତେ ବର୍ଷ ମଧ୍ୟରେ ଦେଶରେ ୬୦,୦୦୦ ସ୍କୁଲ୍‌ ବନ୍ଦ କରିଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଦୈନିକ ଉନ୍ନତି କରିଚାଲିଛି । ବିଶ୍ବ ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ ବିଷୟରେ ଚର୍ଚ୍ଚା କରୁଛି । ଏଭଳି ସମୟରେ ଆବର୍ଜନା ଡ୍ରେନ୍‌ରେ ପାଇପ୍‌ ଭର୍ତ୍ତି କରି ସେଥିରୁ ନିର୍ଗତ ଆବର୍ଜନା ଗ୍ୟାସ୍‌ ଯୋଗେ ଚା ଓ ଖାଦ୍ୟ ରାନ୍ଧି ପାରିବା ବୋଲି ପ୍ରଧାନମନ୍ତ୍ରୀ କହୁଥିବା ଶୁଣି ମୁଁ ଆଚମ୍ବିତ । ଡ୍ରେନ୍‌ର ଆବର୍ଜନା ଗ୍ୟାସ୍‌ରୁ କ’ଣ ଖାଦ୍ୟ ରାନ୍ଧା ଯାଇ ପାରିବ ? ନା। ବଉଦ ଉହାଡ଼ରେ ଥିବା ଉଡ଼ାଜାହାଜକୁ ରାଡାର୍‌ ଠାବ କରିପାରିବ ନାହିଁ କହି ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ବରେ ଉପହାସର ପାତ୍ର ହୋଇଛନ୍ତି । ସ୍କୁଲ୍‌ ଓ କଲେଜ ଶିକ୍ଷାର୍ଥୀମାନେ ତାଙ୍କୁ ବିଦ୍ରୂପ କରୁଛନ୍ତି।