ଦୃଷ୍ଟିବାଧିତ ପିଲାଙ୍କୁ ମିଳିବ କମ୍ପିଟେଟିଭ୍ ବ୍ରେଲି ବହି, ସରକାରଙ୍କ ଭିନ୍ନ ପ୍ରୟାସ

ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଏଣିକି ମିଳିବ ପ୍ରତି‌ଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ଭଳି ଉପଯୋଗୀ ପୁସ୍ତକ। ବ୍ରହ୍ମପୁର ସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସ୍‌ରେ ଛପା ହୋଇ ପ୍ରସ୍ତୁତ ହେଉଛି ବହି। ଓଡ଼ିଶାରେ ପ୍ରଥମ ଥର ଲାଗି ଏହି ପଦକ୍ଷେପ ନେଇଛନ୍ତି ସରକାର। ଦୃଷ୍ଟିବାଧିତଙ୍କ ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପ୍ରସ୍ତୁତି କଷ୍ଟକର ବ୍ୟାପାର ଥିଲା। ସଫଳତା ହାର ନଗଣ୍ୟ ଥିଲା। ବର୍ତ୍ତମାନ ମୁଖ୍ୟ ଧାରାରେ ସମାନ ସୁଯୋଗ ସହ ପରୀକ୍ଷାରେ ସଫଳତା ହାର ମଧ୍ୟ ବୃଦ୍ଧି ପାଇବ। ବିଭିନ୍ନ ସମୟରେ ବହୁ ସଂଗଠନ ଏହି ପ୍ରସଙ୍ଗରେ ସରକାରଙ୍କୁ ଜଣାଇବା‌ ପରେ ପ୍ରତିକାର ସ୍ବରୂପ ବିଭାଗ ପକ୍ଷରୁ ପୁସ୍ତକ ଛପାଯାଉଛି। ବିଭାଗୀୟ ତଥ୍ୟ ଅନୁ‌ସାରେ ବଜାରରେ ମିଳୁଥିବା ଅଗ୍ରଣୀ ସଂସ୍ଥାର ପୁସ୍ତକକୁ ବର୍ତ୍ତମାନ ବ୍ରେଲି ପ୍ରେସ୍‌ରେ ଛାପା ପାଇଁ ଡାଟାବେସ୍‌ ପ୍ରସ୍ତୁତ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରେଲି ଅକ୍ଷରରେ ସାଂପ୍ରତିକ ଘଟଣାବଳୀ (କରେଣ୍ଟ ଆଫାୟାର୍ସ), ପ୍ରସଙ୍ଗ ଓ ତଥ୍ୟ, ଇଂରାଜୀ ଠାରୁ ଓଡ଼ିଆ ଶବ୍ଦକୋଷ ଓ ସାରସ୍ବତ ବ୍ୟାକରଣ ଛପାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ବହି ୨୦୦ କପି ଛପାଯିବ। ପୂର୍ବରୁ ସାଇବର ସଚେତନତା ସମ୍ବନ୍ଧୀୟ ବହି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇ ସାରିଛି। ରାଜ୍ୟରେ ରହିଥିବା ବିଭିନ୍ନ ସରକାରୀ ବିଦ୍ୟାଳୟମାନଙ୍କରେ ଛପା ହୋଇଥିବା ପୁସ୍ତକ ବଣ୍ଟନ କରାଯିବ। ଏହା ବ୍ୟତୀତ ବିଭିନ୍ନ ପରୀକ୍ଷା ସକାଶେ ନିଜକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତିବି‌ଶେଷ ରିହାତି ଦରରେ ଏହି ପୁସ୍ତକ କ୍ରୟ କରିପାରିବେ ବୋଲି ପ୍ରାରମ୍ଭିକ ସୂଚନା ମିଳିଛି।

ଚାକିରି ଆଶାୟୀଙ୍କୁ ମିଳିବ ସମାନ ଅଧିକାର

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସୁନାମଧନ୍ୟ ପ୍ରକାଶନୀର କରେଣ୍ଟ ଆଫାୟାର୍ସ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଭିନ୍ନ ସରକାରୀ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଦିବ୍ୟାଙ୍ଗ ଦୃଷ୍ଟିବାଧିତ ପ୍ରତି‌ଯୋଗୀଙ୍କ ପରୀକ୍ଷା ନି‌ମନ୍ତେ ରହୁଥିବା ପ୍ରସ୍ତୁତି ଅତି ସହଜ ଓ ସରଳ ହୋଇପାରିବ ବୋଲି ଚାକିରି ଆଶାୟୀ ନିତ୍ୟାନନ୍ଦ ପଟ୍ଟନାୟକ ‌କହିଛନ୍ତି। ଅତ୍ୟନ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ସାରସ୍ବତ ବ୍ୟାକରଣକୁ ପ୍ରଥମେ ଡାଟାବେସରେ ଫିଟ କରିବା ପରେ ବ୍ରେଲି ଅକ୍ଷରରେ ଛପାଯିବ ବୋଲି ବ୍ରହ୍ମପୁର ସ୍ଥିତ ରେଡ୍‌କ୍ରସ୍ କମ୍ପ୍ୟୁଟରାଇଜ୍ ବ୍ରେଲିପ୍ରେସ୍‌ର ପରିଚାଳକ ପ୍ରକାଶ ନାରାୟଣ ରଥ କହିଛନ୍ତି।

SHARE BY