The Topmost

“The eyes believe themselves, the ears believe other people.”

ଜାଣନ୍ତୁ କଣ ରହିଛି ରକ୍ଷା ବନ୍ଧନର ଉଦ୍ଦେଶ୍ୟ

ଶ୍ରାବଣପୂର୍ଣ୍ଣିମା, ଏହାର ଆଉ ଏକ ନାମ ହେଉଛି ‘ରାକ୍ଷୀ ପୂର୍ଣ୍ଣିମା’ । ପ୍ରଚଳିତ ପରମ୍ପରା ଅନୁସାରେ ଏହିଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଅତୁଟ ସ୍ନେହ ଓ ସୁରକ୍ଷା କାମନା କରିଥାଏ । ତେବେ ଆସନ୍ତୁ ରାକ୍ଷୀ ପୂର୍ଣ୍ଣିମା ବିଷୟରେ ଜାଣିବା କିଛି ରୋଚକ ତଥ୍ୟ । ଇନ୍ଦ୍ର ହେଉଛନ୍ତି ଦେବରାଜ । ତେଣୁ ଦେବତା ଓ ଅସୁରଙ୍କ ଯୁଦ୍ଧରେ ସେ ଦେବତାଙ୍କର ନେତୃତ୍ବ ନେଇଥାନ୍ତି  । ଥରେ, ‌ଯୁଦ୍ଧରେ ସେ ଅସୁରଙ୍କଠାରୁ ହାରିଲେ ଏବଂ ଦେବଗୁରୁ ବୃହସ୍ପତିଙ୍କ ନିକଟକୁ ଯାଇ ତାଙ୍କର ଦୁଃଖ ଜଣାଇଲେ । ସେ ଦିନଟି ଥିଲା ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ । ତେଣୁ ଗୁରୁ ବୃହସ୍ପତି, ପରଦିନ ପ୍ରତ୍ୟୁଷରେ ବିଧି ସହକାରେ ମନ୍ତ୍ରପାଠ କରି ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ । ଇନ୍ଦ୍ରାଣୀ ମଧ୍ୟ ସେହିଦିନ ତାଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିଥିଲେ । ତାହା ପରେ, ଅସୁରଙ୍କ ସହିତ ଯୁଦ୍ଧରେ ଇନ୍ଦ୍ର ବିଜୟୀ ହୋଇଥିଲେ । ଏହା ସୂଚାଏ, ଗୁରୁ ବା ବ୍ରାହ୍ମଣ ଏବଂ ସ୍ତ୍ରୀ ଏହି ରକ୍ଷାସୂତ୍ର ବାନ୍ଧିବା ଥିଲା ପୁରାଣ ସମର୍ଥିତ ଓ ବିଧିସମ୍ମତ ।

କିନ୍ତୁ ପରବର୍ତ୍ତୀ କାଳରେ, ଅର୍ଥାତ୍‌ ମଧ୍ୟଯୁଗର ମୁସଲମାନ ଆକ୍ରମଣ ସମୟରେ ରାଜପୁତ ରମଣୀମାନେ ପୁରୁଷଙ୍କ ହାତରେ ରକ୍ଷାସୂତ୍ର ବାନ୍ଧିବାର ଧାରା ଆରମ୍ଭ ହେଲା । ସମୟକ୍ରମେ ଏହା ଭଉଣୀ ଭାଇ ହାତରେ ରାଖି ବାନ୍ଧିବାର ପରମ୍ପରାରେ ପରିଣତ ହୋଇଛି । ରକ୍ଷାସୂତ୍ର ବନ୍ଧନପାଇଁ ଯେଉଁ ମନ୍ତ୍ରଟି ପ୍ରଚଳିତ ଅଛି, ସେଥିରେ କୁହାଯାଇଛି- ‘‘ଯେନ ବଦ୍ଧୋ ବଳୀରାଜା ଦାନବେନ୍ଦ୍ରୋ ମହାସୁରଃ । ତେନ ତ୍ବାମପି ବଧ୍ନାମି ରକ୍ଷ ମାଚର ମାଚଳ। ।’’ ପଣ୍ଡିତ ସଦାଶିବ ରଥଶର୍ମା ଗୋଟିଏ ଲେଖାରେ ଏ ସଂପର୍କରେ କହିଛନ୍ତି- ‘‘ପୂର୍ବେ ମନର ସବଳତା ସୂତା ଖଣ୍ଡକରେ ମିଳୁଥିଲା। ଈଶ୍ବର-ସମର୍ପଣ-ଭାବରେ ସନ୍ତୋଷ ଦ୍ବାରା ସୁସ୍ଥତା ଆସୁଥିଲା । … ଭଗବାନ ବିଷ୍ଣୁ ବଳି ପରି ପରାକ୍ରମୀ, ଦାନବୀର ଦାନବକୁ ବଦ୍ଧ କରିଥିଲେ; ଅର୍ଥାତ୍‌ ମାରିବାକୁ ଯାଇ, ମୃତ୍ୟୁ ମୁଖରେ ତାକୁ ପାତାଳପୁରୀରେ ରକ୍ଷା କରିଥିଲେ ।… ଅର୍ଥାତ୍‌ ମଙ୍ଗଳମୟ ଭଗବାନଙ୍କର ମାରିବା ଅର୍ଥ, ରକ୍ଷା ମଧ୍ୟ କରିବା । ଏଥିନିମନ୍ତେ ବ୍ରାହ୍ମଣଙ୍କ ଦ୍ବାରା କ୍ଷତ୍ରିୟ ଆଦି ବର୍ଣ୍ଣମାନେ ରକ୍ଷାସୂତ୍ର ବନ୍ଧାଇ ଥାଆନ୍ତି ।’’