The Topmost

“The eyes believe themselves, the ears believe other people.”

ଗଣେଶ ପୂଜାରେ ଅଡୁଆ ସୃଷ୍ଟି କରୁଛି ବିଏମସି !

ଚଳିତ ବର୍ଷ ସେପ୍ଟେମ୍ବର 19 ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେଉଛି । ତେବେ ଆପଣ ମାନେ ଜାଣିଥିବେ ଯେ ସାରା ବିଶ୍ବରେ ମହାରାଷ୍ଟ୍ରର ଗଣେଷ ପୂଜା ପ୍ରସିଦ୍ଧ ଅଟେ । ମୁମ୍ବାଇରେ ବଡ ଆଡମ୍ବରରେ ଗଣପତି ବାପାଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ଏନେଇ ଦେଶ ବିଦେଶରୁ ପର୍ଯ୍ୟଟକ ଆସିବା ସହ ହଜାର ହଜାର ଲୋକଙ୍କୁ ରୋଜଗାର ମିଳେ । ହେଲେ ଗତଥର ଭଳି ଏଥର ମଧ୍ୟ ଅଡୁଆ ସୃଷ୍ଟି କରିଛି ବ୍ରିହନମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ ବା ବିଏମସି । ଫଳରେ ପ୍ରତିମୂର୍ତ୍ତି ଗୁଡିକର ଉଚ୍ଚତା ଉପରେ କଟକଣା ଲାଗଯାଇଛି । ସର୍ବସାଧାରଣ ପେଣ୍ଡାଲ ପାଇଁ ମାତ୍ର 4 ଫୁଟର ଗଣେଶ ପ୍ରତିମାକୁ ଅନୁମତି ଦେଇଛି ବିଏମସି । ଯାହାକୁ ବିରୋଧ କରିଛି ବ୍ରିହନମୁମ୍ବାଇ ସାର୍ବଜନିନ ଗଣେଶୋତ୍ସବ ସମନ୍ବୟ କମିଟି । ପ୍ରତିମୂର୍ତ୍ତି ନିର୍ଣାଣରେ କୌଣସି କଟକଣା ନରହୁ । 4 ଫୁଟରୁ ଅଧିକ ଉଚ୍ଚତାର ପ୍ରତିମୂର୍ତ୍ତି କରିବାକୁ ଅନୁମତି ମିଳିବା ଦରକାର ବୋଲି କମିଟି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଏକ ଚିଠି ଲେଖି ଦାବି କରିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଏମସି କମିଶନରଙ୍କୁ ମଧ୍ୟ ଚିଠି ଲେଖିଛି କମିଟି ।

ଗଣେଶ ପ୍ରତିମୂର୍ତ୍ତିର ଉଚ୍ଚତା ବୃଦ୍ଧି ସହ ଚିଠିରେ ଅନ୍ୟାନ ଦାବି ମଧ୍ୟ ଲେଖାଯାଇଛି । ଯେପରିକି ମହିଳା ମାନଙ୍କ ପାଇଁ ସାର୍ବଜନୀନ ଶୌଚାଳୟ ସୁବିଧା, ଟ୍ରାଫିକ ସିଗନାଲ ସମସ୍ୟା ଇତ୍ୟାଦି ଚିଠିରେ ଲେଖାଯାଇଛି । ଏନେଇ କମିଟି ସଦସ୍ୟ ଅମିତ କୋକାଟେ କହିଛନ୍ତି ଯେ ଗତବର୍ଷ ମଧ୍ୟ ମୂର୍ତ୍ତି ଗୁଡିକର ଉଚ୍ଚତା ଉପରେ ପ୍ରତିବନ୍ଧକ ହଟାଯାଇଥିଲା । ତେଣୁ ଗତ ବର୍ଷର ନିୟମ ଚଳିତ ବର୍ଷ ଲାଗୁ ହେବା ଉଚିତ । ଏପଟେ ଗଣେଶ ପ୍ରତିମା ଗୁଡିକ ପ୍ରସ୍ତୁତ ହୋଇସାରିଛି । ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ ହେଲେ ସମସ୍ୟା ସୃଷ୍ଟି ହେବ ବୋଲି ସେ କହିଛନ୍ତି । ମୁମ୍ବାଇର ପରେଲ ଅଞ୍ଚଳରେ ଥିବା ଏକ ଓ୍ବାର୍କସପରେ ପ୍ରଭୁ ଗଣେଶଙ୍କର ଅନେକ ବଡ ବଡ ପ୍ରତିମା ତିଆରି କରାଯାଉଛି । ଏହି ପରିପ୍ରକ୍ଷୀରେ ଓ୍ବାର୍କସପ୍ ମାଲିକ ସିଦ୍ଧେଶ କହିଛନ୍ତି ଯେ ଯଦି ବିଏମସି ଉଚ୍ଚତାକୁ ନେଇ କଟକଣା ଲଗାଏ ତେବେ ଏହାର ପ୍ରଭାବ ନିଶ୍ଚୟ ପଡିବ । ଓ୍ବାର୍କସପରେ ତିଆରି କରାଯାଉଥିବା ପ୍ରତିମା ଗୁଡିକୁ ପ୍ରଥମେ ଅର୍ଡର ଦିଆଯାଏ ପରେ ତିଆରି କରାଯାଏ । ଏବଂ ବହୁତ କମ୍ ପ୍ରତିମୂର୍ତ୍ତି 4 ଫୁଟର ହେବ ବୋଲି ସେ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିଏମସି ନିଷ୍ପତି ନବଦଳାଏ ତେବେ ଏହାର କୁପ୍ରଭାବ ସମସ୍ତଙ୍କ ଉପରେ ପଡିବ । ଏବଂ ସମସ୍ତେ କ୍ଷତି ସହିବେ ।