September 10, 2025

Screenshot

ଓଡ଼ିଶାରେ ଲାଗୁହେଲା ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪

ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪। ଆଜି ଓଡ଼ିଶାର ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ,୨୦୨୪କୁ ସ୍ୱୀକୃତି ପ୍ରଦାନ କରିବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ, ୨୦୨୪କୁ ଓଡ଼ିଶାରେ ଲାଗୁ କରାଯାଇଛି।

ବିଗତ ଏପ୍ରିଲ ୨ ତାରିଖରେ ବିଧାନସଭାରେ ରାତି ତମାମ ଆଲୋଚନା ହେବା ପରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ), ବିଧେୟକକୁ ବିଧାନସଭାରେ ପାରିତ କରାଯାଇଥିଲା। ଆଜି ଏହି ବିଧେୟକ ରାଜ୍ୟପାଳଙ୍କ ସ୍ୱୀକୃତି ଲାଭ କରିବା ପରେ ଆଜିଠାରୁ ସାରା ରାଜ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଲାଗୁହୋଇଛି।

ଆଜି ଏହି ଅଧିନିୟମ ଲାଗୁ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥିସହ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ,୨୦୨୪ ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି।

“ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣି ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଧେୟକ -୨୦୨୪କୁ ବିଧାନସଭାରେ ପାରିତ କରାଯାଇଥିଲା । ଆଜି ଏହି ବିଧେୟକକୁ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟିଙ୍କ ସ୍ୱୀକୃତି ମିଳିବା ପରେ ସାରା ଓଡ଼ିଶାରେ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଲାଗୁ ହୋଇଛି। ଆଜି ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହୋଇଛି। ଏହି ଅଧିନିୟମ ଦ୍ୱାରା ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ସୁନିଶ୍ଚିତ ହେବା ସହିତ ଅଧ୍ୟାପକ ନିଯୁକ୍ତି ପ୍ରକିୟାକୁ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ସରଳୀକରଣ ଓ ତ୍ୱରାନ୍ୱିତ କରାଯାଇପାରିବ। ଏଥିସହିତ ବିଶ୍ୱବିଦ୍ୟାଳୟରେ ସିନେଟ୍‌ ର ପୁନଃ-ଅନ୍ତର୍ଭୁକ୍ତିକରଣ, ଅଧ୍ୟାପକ ଓ କୁଳପତି ଚୟନରେ ସରକାରୀ ହସ୍ତକ୍ଷେପକୁ ହ୍ରାସ କରାଯାଇପାରିଛି। ରାଜ୍ୟରେ ମୋଟ ନାମଲେଖା ଅନୁପାତ ବଢ଼ାଇବା ନିମନ୍ତେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ଦୂରଶିକ୍ଷା ବ୍ୟବସ୍ଥା ପ୍ରଣୟନ କରିବା, ବିଶ୍ୱବିଦ୍ୟାଳୟର ଆର୍ଥିକ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ଅର୍ଥ କମିଟିର ଗଠନ ଏବଂ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ, ଶିକ୍ଷାନୁଷ୍ଠାନମାନଙ୍କରେ ବିଶ୍ୱସ୍ତରୀୟ ଗବେଷଣା ଓ ଶୈକ୍ଷିକ ଉତ୍କର୍ଷତାକୁ ପ୍ରୋତ୍ସାହନ ଦେବା ସହିତ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୪ ଜ୍ଞାନ ଭିତ୍ତିକ ଅର୍ଥନୀତିର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

SHARE BY